Odisha
+918144473568
info@odishaguru.com

ଗ୍ରୀଷ୍ମଋତୁ

No. 1 Education Website Of Odisha

                                  

ଉପକ୍ରମ : ବର୍ଷକ ବାର ମାସ ଓ ଛଅ ଋତୁ । ସେମାନଙ୍କ ମଧ୍ୟରୁ ଗ୍ରୀଷ୍ମ ଋତୁ ଅନ୍ୟତମ । ଋତୁଚକ୍ରରେ ବସନ୍ତ ଋତୁ ପରେ ଗ୍ରୀଷ୍ମ ଋତୁ ଆସେ । ବୈଶାଖ ଓ ଜ୍ୟେଷ୍ଠ ମାସଦ୍ଵୟ କୁ ଗ୍ରୀଷ୍ମଋତୁ କହନ୍ତି । ଭକ୍ତକବି ମଧୁସୂଦନ ରାଓଙ୍କ ଭାଷାରେ–

                 ଗ୍ରୀଷ୍ମେ ବୈଶାଖ ଜ୍ୟେଷ୍ଠ ମାସ

                 ପ୍ରଚଣ୍ଡ ରୌଦ୍ର ପରକାଶ ।

       ପ୍ରକୃତି : ଋତୁ ପରିବର୍ତ୍ତନ ଘଟିଲେ ପୃଥିବୀର ପ୍ରାକୃତିକ ଅବସ୍ଥାରେ ପରିବର୍ତ୍ତନ ହୋଇଥାଏ । ଗ୍ରୀଷ୍ମଋତୁ ଆସିଲେ ଭୀଷଣ ଗରମ ହୁଏ । ସୂର୍ଯ୍ୟଙ୍କ ପ୍ରଖର କିରଣରେ ନଈ , ନାଳ , ପୋଖରୀର ପାଣି ଶୁଖୁଯାଏ । ବିଲବାଡି ସବୁ ଫାଟି ଆଁ କରେ । ଦିନ ଦଶଟା ପରେ ପଦାକୁ ବାହାରି ହୁଏ ନାହିଁ । ମାଟି ତାତିଯାଏ । ଗରମ ଝାଞ୍ଜି ପବନ ବହେ । ମନୁଷ୍ୟ , ପଶୁପକ୍ଷୀ , କୀଟପତଙ୍ଗ ସମସ୍ତେ ପାଣି ବିନା ଡହଳ ବିକଳ ହୁଅନ୍ତି । ଘର ଭିତରେ କି ବାହାରେ ରହିହୁଏ ନାହିଁ । ସୂର୍ଯ୍ୟଙ୍କ ପ୍ରଖର କିରଣରେ ଗଛଲତାମାନଙ୍କର ପତ୍ର ଝାଉଁଳି ଯାଇ ଝଡ଼ିପଡେ । ବିଲ – ବାଡି ଓ ପଡ଼ିଆର ଘାସ ମରିଯାଏ । ପ୍ରବଳ ଉତ୍ତାପରେ ବଣ ଜଙ୍ଗଲରେ ନିଆଁ ଲାଗିବା ଫଳରେ ଜଙ୍ଗଲ ପୋଡି ପାଉଁଶ ହୋଇଯାଏ । ତା ’ ସହିତ ଅନେକ ବନ୍ୟଜନ୍ତୁ ପୋଡି ହୋଇ ଜୀବନ ହରାନ୍ତି । ଏହି ଋତୁରେ ମନୁଷ୍ୟ , ପଶୁପକ୍ଷୀ ସମସ୍ତେ କଷ୍ଟ ଭୋଗନ୍ତି । ଦେହରୁ ପ୍ରବଳ ଝାଳ ବୋହେ । ବାଟୋଇମାନେ ଖରାତେଜରେ ଚାଲି ନ ପାରି ଗଛମୂଳେ ବିଶ୍ରାମ ନିଅନ୍ତି । ଧନୀ ଲୋକମାନେ ଦିନରାତି ବିଜୁଳିପଙ୍ଖା ଓ ଶୀତତାପ ନିୟନ୍ତ୍ରିତ ମେସିନ୍ ବ୍ୟବହାର କରନ୍ତି । ଗରିବ ଲୋକେ ବିଞ୍ଚଣା ପବନ ଉପରେ ନିର୍ଭର କରି ଚଳନ୍ତି ।

      ଫୁଲ , ଫଳ , ଫସଲ : ଗ୍ରୀଷ୍ମ ଋତୁରେ ମଲ୍ଲୀ , ମଧୁମାଳତୀ , ଚମ୍ପା , ବଉଳ , ସୁଗନ୍ଧରାଜ , ହେନା , ନାଗେଶ୍ବର ଆଦି ଫୁଲ ଫୁଟେ । ଆମ୍ବ , ପଣସ , ସପୁରି , ଲିଚୁ , ଫୁଟିକାକୁଡି , ତରଭୁଜ ଆଦି ଫଳ ଏହି ଋତୁରେ ପ୍ରଚୁର ପରିମାଣରେ ମିଳିଥାଏ । ଖଡା , ଲେଉଟିଆ ଶାଗ , ଜହ୍ନି , କଲରା , ବାଇଗଣ ଆଦି ପନିପରିବା ମଧ୍ୟ ଏହି ଋତୁରେ ମିଳିଥାଏ । ଏହି ଋତୁରେ ଚାଷୀମାନେ ଡାଳୁଅ ଧାନ ଚାଷ କରନ୍ତି ।

     ପର୍ବପର୍ବାଣି : ଏହି ଋତୁରେ ପଣାସଂକ୍ରାନ୍ତି , ଚନ୍ଦନଯାତ୍ରା , ଅକ୍ଷୟ ତୃତୀୟା , ସାବିତ୍ରୀ ଅମାବାସ୍ୟା , ସ୍ନାନପୂର୍ଣ୍ଣିମା ଓ ରଜପର୍ବ ଆଦି ପର୍ବ ପାଳନ କରାଯାଏ ।

     ଉପକାର : ଏହି ଋତୁରେ ପ୍ରଖର ସୂର୍ଯ୍ୟକିରଣରେ ନଈ , ନାଳ ଓ ପୁଷ୍କରିଣୀର ଜଳ ବାଷ୍ପ ହୋଇ ଆକାଶକୁ ଉଠିଯାଏ । ବର୍ଷା ଋତୁରେ ସେହି ବାଷ୍ପ ଥଣ୍ଡା ହୋଇ ସେଥୁରୁ ପାଣି ବରଷେ । ଫଳରେ ଜୀବଜନ୍ତୁ ତଥା ଉଭିଦ ଜଗତର ଅଶେଷ ଉପକାର ହୁଏ ।

     ଅପକାର : ଏହି ଋତୁରେ ଗୋରୁଗାଈଙ୍କୁ ଚରିବା ପାଇଁ ଘାସ ମିଳେ ନାହିଁ । ପିଇବାକୁ ପାଣି ମୁନ୍ଦିଏ ମିଳେ ନାହିଁ । ଅନେକ ଗଛଲତା ପାଣି ଅଭାବରୁ ମରିଯାଆନ୍ତି । ସାମାନ୍ୟ ଅସାବଧାନତା ଯୋଗୁଁ ନିଆଁ ଲାଗି ଅନେକ ଚାଳଘର ପୋଡିଯାଏ । ବହୁ ଧନ ସମ୍ପତ୍ତି ନଷ୍ଟ ହୁଏ । ଏହି ଋତୁରେ ହାଡଫୁଟି , ବସନ୍ତ ଆଦି ରୋଗ ଦେଖାଯାଏ । ଗରମ ଯୋଗୁଁ ଦେହରେ ଘିମିରି , ବ୍ରଣ ଓ ବଥ ଆଦି ଉଠି କଷ୍ଟ ଦେଇଥାଏ ।

       ଶେଷକଥା : ଗ୍ରୀଷ୍ମଋତୁ ଅତ୍ୟନ୍ତ କଷ୍ଟଦାୟକ । ଏହି ଋତୁରେ ମନୁଷ୍ୟ , ଜୀବଜନ୍ତୁ , ବୃକ୍ଷଲତା ଆଦି ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ତଥାପି ଗ୍ରୀଷ୍ମ ଆମର ଉପକାରୀ ବନ୍ଧୁ । ଏହି ଋତୁ ବର୍ଷାଋତୁର ଜନ୍ମଦାତା । ବର୍ଷା ହେବା ଫଳରେ ପୃଥିବୀରେ ନାନା ପ୍ରକାର ଫସଲ ହୁଏ । ମଣିଷ , ଜୀବଜନ୍ତୁ , ବୃକ୍ଷଲତା ଆନନ୍ଦରେ ଜୀବନଯାପନ କରନ୍ତି । ଏଥିପାଇଁ ଭକ୍ତକବି ମଧୁସୂଦନ ରାଓ ଲେଖିଛନ୍ତି

      ନିଦାଘ ସମୟ ହେଲେ ହେଁ ଦାରୁଣ ଅଟେ ଜଗତର ମିତ୍ର

      ଜନମାଏ ମେଘ ସାଧ ପ୍ରାଣୀହିତେ ବିଧିବିଧାନ ବିଚିତ୍ର।

Leave a Reply

Your email address will not be published.