Odisha
+918144473568
info@odishaguru.com

ବର୍ଷାଋତୁ

No. 1 Education Website Of Odisha

ଉପକ୍ରମ : ବର୍ଷକ ବାର ମାସ ଓ ଛଅ ଋତୁ । ସେଥ୍ ମଧ୍ୟରୁ ବର୍ଷାଋତୁ ଅନ୍ୟତମ । ଗ୍ରୀଷ୍ମଋତୁ ପରେ ବର୍ଷାଋତୁର ଆଗମନ ହୋଇଥାଏ । ଆଷାଢ଼ ଓ ଶ୍ରାବଣ ମାସଦ୍ଵୟକୁ ବର୍ଷାଋତୁ କହନ୍ତି । ଭକ୍ତକବି ମଧୁସୂଦନ ରାଓଙ୍କ ଭାଷାରେ

          ବର୍ଷା ରେ ଆଷାଢ଼ ଶ୍ରାବଣ ,

         ମେଘ ବରଷେ ଘନଘନ।

 ଆଷାଢ଼ ମାସଠାରୁ ଆଶ୍ଵିନ ମାସ ପର୍ଯ୍ୟନ୍ତ ପୃଥିବୀ ପୃଷ୍ଠରେ ବର୍ଷାର ପ୍ରକୋପ ରହିଥାଏ । ଏହି ଚାରିମାସକୁ ହିସାବ କରି ଲୋକେ ବର୍ଷାଋତୁକୁ ଚତୁର୍ମାସ୍ୟା ବୋଲି କହିଥାନ୍ତି ।

 ପ୍ରକୃତି : ବର୍ଷାଋତୁ ଆସିଲେ ଅଧୁକାଂଶ ସମୟ ଆକାଶରେ ମେଘ ଥାଏ । କେତେବେଳେ ଅଳ୍ପ ତ ’ କେତେବେଳେ ପ୍ରବଳ ବର୍ଷା ହୁଏ । କେତେବେଳେ ଦିନ  ଦିନ ଧରି ଝଡିବର୍ଷା ହୋଇଥାଏ । ପୁଣି କେବେକେବେ ବର୍ଷା ହେଉଥିବାବେଳେ ବିଜୁଳି ଓ ଘଡଘଡ଼ି ମାରେ । ସମୟ ସମୟରେ ସୂର୍ଯ୍ୟଙ୍କ ସମ୍ମୁଖରେ ଇନ୍ଦ୍ରଧନୁ ଶୋଭାପାଏ । ଆକାଶର କଳା ମେଘକୁ ଦେଖୁ ମୟୂରମାନେ ନୃତ୍ୟ ଆରମ୍ଭ କରନ୍ତି । ବେଙ୍ଗମାନେ ସାରୁବୁଦା ମୂଳରେ ବସି ବୋବାନ୍ତି । ଖାଲ , ଖମା , ନଈ , ନାଳ , ପୋଖରୀ ଆଦି ଜଳରେ ପୂର୍ଣ୍ଣ ହୋଇଯାଏ । ପତ୍ରଶୂନ୍ୟ ଗଛଲତାମାନଙ୍କରେ ନୂଆ ପତ୍ର କଅଁଳେ । ବିଲରେ ଶାରଦ ଧାନ ଗଛ ସବୁଜ ଦେଖାଯାଏ । ଚାରିଆଡ ଘାସ କଅଁଳି ସବୁଜ ଦେଖାଯାଏ । ସବୁଜ ଘାସ ଉପରେ ନାଲି ଟୁକୁଟୁକୁ ସାଧବବୋହୂ ଚାଲୁଥିବାର ଦେଖାଯାଏ ।

     ଫୁଲ , ଫଳ ଓ ଫସଲ : ଏହି ଋତୁରେ କିଆ , କେତକୀ , ଜୁଇ , ଜାଇ , ମଲ୍ଲୀ , ମାଳତୀ , କଇଁ , କଦମ୍ବ , ଚମ୍ପା ଆଦି ଫୁଲ ଫୁଟି ପଲ୍ଲୀଭୂମିର ଶୋଭା ବଢ଼ାଇଥାଏ । ବିଭିନ୍ନ ପ୍ରକାର ଫୁଲ ଫୁଟିବା ସହିତ ବାଡି ବଗିଚାରେ ବାଇଗଣ , ପାପ କଖାରୁ , ପୋଇ , ଜହ୍ନି , ଛଚିନ୍ଦ୍ରା , ଭେଣ୍ଡି ଆଦି ପନିପରିବା ଉତ୍ପନ୍ନ ହୁଏ । ପଚାସଢ଼ା ପାଳଗଦାରେ ପାଳଛତୁ ଫୁଟେ । ଏହି ସମୟରେ କାକୁଡି , ଲେଉଆ , ପିଜୁଳି , କରମଙ୍ଗା ଆଦି ଫଳ ମିଳିଥାଏ । ଚାଷୀମାନେ ଏହି ଋତୁରେ କାର୍ଯ୍ୟବ୍ୟସ୍ତ ରହନ୍ତି । ସେମାନେ ବିଜୁଳି , ଘଡ଼ଘଡ଼ି ଓ ବର୍ଷାକୁ ଖାତିରି ନ କରି ବେଉଷଣ , ଗୁଆ ଓ ବଛା କାମରେ ଲାଗି ପଡ଼ନ୍ତି ।

ଉପକାର : ବର୍ଷା ହେବା ଫଳରେ ପୃଥିବୀ ଶୀତଳ ହୁଏ । ପାଣିର ଅଭାବ ରହେ ନାହିଁ । ବାଡି ବଗିଚାରେ ବିଭିନ୍ନ ପ୍ରକାର ପନିପରିବା ହୁଏ । ଚାଷୀମାନେ ଗାଁର ବିଭିନ୍ନ ଶସ୍ୟ ଉତ୍ପାଦନ କରନ୍ତି । ବନ୍ୟା ହେଲେ ଜମିରେ ପଟୁ ମାଡ଼ିଯାଏ । ଏହା ଶ୍ରାବ ଫଳରେ ଜମି ଉର୍ବର ହୋଇଯାଏ । ଗାଈଗୋରୁ ଆଦି ଗୃହପାଳିତ ପଶୁମାନେ ପ୍ରଚୁର ଘାସ ପାଆନ୍ତି ।

 ଅପକାର : ବର୍ଷାଋତୁରେ ଗାଆଁଦାଣ୍ଡ କାଦୁଅ ହୋଇଯାଏ l ଲୋକମାନେ ଯିବାଆସିବା କରିବାରେ ବହୁତ ଅସୁବିଧା ଭୋଗନ୍ତି । ଖାଲଖମାରେ ପାଣି କମିଯାଏ।ସେଠାରେ ମଶା , ମାଛିମାନେ ଅଣ୍ଡା ଦେଇ ବଂଶ ବଢ଼ାନ୍ତି । ଏହି ସମୟରେ ଲୋକମାନେ ଜ୍ଵର , ସର୍ଦ୍ଦି , ଆମାଶୟ , ମ୍ୟାଲେରିଆ ଆଦି ରୋଗ ଭୋଗ କରନ୍ତି । ଲଗାତର ବର୍ଷା ହେଲେ ଦିନ ମଜୁରିଆମାନେ ମୂଲ ଲାଗିବାକୁ ଯାଇପାରନ୍ତି ନାହିଁ । ତେଣୁ ତାଙ୍କ ପରିବାରର ଲୋକମାନେ ଭୋକ ଉପାସରେ ରୁହନ୍ତି । ନଈବଢ଼ି ହେଲେ ଗାଁ ଗଣ୍ଡା ଭାସିଯାଏ । ଫସଲ ଧୋଇ ହୋଇଯାଏ । ବେଳେବେଳେ ଅନେକ ଗୃହପାଳିତ ପଶୁ ଓ ଲୋକେ ବନ୍ୟା ପାଣିରେ ଭାସିଯାଇ ମୃତ୍ୟୁବରଣ କରନ୍ତି । ବଢ଼ି ପରେ ଗାଆଁ ଗାଆଁରେ ହଇଜା ଓ ମ୍ୟାଲେରିଆ ଆଦି ରୋଗ ଦେଖାଯାଏ ।

  ପର୍ବପର୍ବାଣି : ଏହି ଋତୁର ଆରମ୍ଭରେ ରଜପର୍ବ ପାଳିତ ହୋଇଥାଏ । ଏହାଛଡା ରଥଯାତ୍ରା , ଝୁଲଣଯାତ୍ରା , ଚିତାଲାଗି ଅମାବାସ୍ୟା , ଗହ୍ମାପୂର୍ଣ୍ଣିମା , ଖୁଦୁରୁକୁଣୀ ଓଷା , ଜନ୍ମାଷ୍ଟମୀ ଆଦି ପର୍ବ ମଧ୍ୟ ଏହି ଋତୁରେ ପଡେ । ଲୋକମାନେ ପିଠାପଣା ଖାଇ ମହାଆନନ୍ଦରେ ଏହି ପର୍ବଗୁଡ଼ିକୁ ପାଳନ କରିଥାନ୍ତି ।

 ଶେଷକଥା : ବର୍ଷାଋତୁରେ ଲୋକମାନେ ବହୁତ ଅସୁବିଧା ଭୋଗ କରୁଥିଲେ ମଧ୍ୟ ଏହି ଋତୁ ପୃଥିବୀର ବହୁ ଉପକାର କରିଥାଏ । ବର୍ଷା ହେଉ ନ ଥିଲେ ଆମେ ଖାଇବାକୁ , ପିନ୍ଧିବାକୁ କିଛି ପାଆନ୍ତେ ନାହିଁ । ପୃଥିବୀ ମରୁଭୂମିରେ ପରିଣତ ହୁଅନ୍ତା । ତେଣୁ ଭକ୍ତକବି ମଧୁସୂଦନ ରାଓଙ୍କ ଭାଷାରେ–

     ବରଷକାଳ ଅଟେ ମଙ୍ଗଳକାରୀ

   ପାଳଇ ପରଜାଙ୍କୁ ବରଷି ବାରି ।

Leave a Reply

Your email address will not be published.